କଳାହାଣ୍ଡିର ଲୋକସାହିତ୍ୟ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

କଳାହାଣ୍ଡି: ଶକ୍ତି ଖବର ୧୨/୧୧(କବିରାଜ ଦୁର୍ଗା)ଭବାନୀପାଟଣା :- ଲୋକଗୀତ, ଲୋକକାହାଣୀ ଆଦିର ସୁସମୃଦ୍ଧ ଆଦିଭୂମି କଳାହାଣ୍ଡି। ଏ ମାଟିରେ ଗୀତକୁଡ଼ିଆ, ଗୀତକୁଡ଼ିଆଣୀର କଣ୍ଠରେ ଝରୁଥିବା ସୁମଧୁର ରାଗ ଓ ସଙ୍ଗୀତ ଜୀବନ ଜୀଇଁବାର କଳା କୌଶଳ ଶିଖାଏ। ଶହଶହ କଥା ଓ ଗାଥା, କିମ୍ବଦନ୍ତୀ ପରିବ୍ୟାପ୍ତ ଇତିହାସର ମୁକସାକ୍ଷୀ ଏ ଭୂଖଣ୍ଡର ପ୍ରତିଟି କୋଣଅନୁକୋଣରେ ବିଦ୍ୟମାନ। ଇନ୍ଦ୍ରବନ, ମହାକାନ୍ତାର, କମଳମଣ୍ଡଳର ଦିପ୍ତୀମୟ ଓ ଜାଜ୍ଜ୍ୱଲ୍ୟମାନ ଇତିହାସ, ଜୀବନନାଟିକା ଖୋଜିବାକୁ ହେଲେ ସାତତାଳ ପଙ୍କ ପଦୁଅଁ ଭଅଁରରେ ନୁହେଁ ବରଂ ଏ ମାଟିର ଲୋକ ଗୀତ, ଲୋକଗୀତ ଓ ଲୋକସାହିତ୍ୟରେ ଏହାର ରାଶିରାଶି ପ୍ରମାଣ ମିଳିଯିବ। ଏ ମାଟିର ପ୍ରତିଟି ମଣିଷ ନିଜ ଜୀବନରେ ପ୍ରତିଟି ମୁହୂର୍ତ୍ତରେ ନିଜ ମନର ଭାବଭଙ୍ଗୀ, ସ୍ଥିତି, ଅବସ୍ଥିତି ଓ ପରିସ୍ଥିତିର କୌଣସି ନା କୌଣସି ପ୍ରସଙ୍ଗରେ କଳାହାଣ୍ଡିଆ ଢଗଢମାଳି, ଲୋକବୋଲି, ଲୋକଗାଳି, ଲୋକଗୀତ, ଛଇ, ଛଟକର ସାହାରା ନେଇଥାଏ। ନିଜର ଅଜାଣତରେ ହେଉପଛକେ ସାହିତ୍ୟିକ ଅନୁକରଣୀୟତାର ପରିପ୍ରକାଶ କରିଥାଏ। କାରଣ ଏଠାକାର ସୁସମୃଦ୍ଧ ଲୋକସାହିତ୍ୟ କଳାହାଣ୍ଡିର ପ୍ରତିଟି ମଣିଷ ଏପରିକି ଜନଜୀବନର ଏକ ଓ ଅଭିନ୍ନ ଅଙ୍ଗ ବୋଲି ଆଜି ୬୧ତମ ମହାବୀର ମହୋତ୍ସବ ୪ର୍ଥ ଦିବସ ଅବସରରେ ଆୟୋଜିତ କଳାହାଣ୍ଡିର ଲୋକସାହିତ୍ୟ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଓଡ଼ିଶାର ଅଗ୍ରଣୀ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ୬୧ତମ ମହାବୀର ମହୋତ୍ସବର ୪ର୍ଥ ଦିବସରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ତଥା ବିଶିଷ୍ଟ ଲେଖକ ଓ ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା ଯୋଗଦେଇ କଳାହାଣ୍ଡିର କବି, ଲେଖକ ଓ ସାହିତ୍ୟିକଙ୍କର ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶିଷ୍ଟ କବି, ଲେଖକ ଓ ଗବେଷକ ଡ. ପରମେଶ୍ୱର ମୁଣ୍ଡ କଳାହାଣ୍ଡିର ଲୋକସାହିତ୍ୟ ଶୀର୍ଷକ ଭିତ୍ତିପ୍ରବନ୍ଧ ଉପସ୍ଥାପନା କରିବା ସହିତ କଳାହାଣ୍ଡିର ଲୋକସାହିତ୍ୟ ଓ ପ୍ରାଣପ୍ରାଚୁର୍ଯ୍ୟର ଲେଖାଯୋଖା ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ଭାବେ ମା ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ଡୋଳାମଣି ଧରୁଆଙ୍କ ସହିତ ଅନୁଷ୍ଠାନର ନାଟ୍ୟ ସଂପାଦକ ସୁଶାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅନୁଷ୍ଠାନର ସଭାପତି ଶାନ୍ତନୁ ବେହେରା, ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁବିଶିଷ୍ଟ ବ୍ୟକ୍ତି, ସାହିତ୍ୟ ପ୍ରେମୀ ଜନସାଧାରଣ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!